ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ସାମୁହିକ ବିକାଶରେ ‘ସୃଷ୍ଟି’

17 ଜୁଲାଇ 2017
ଶେୟାର କରନ୍ତୁ :

କେନ୍ଦୁଝର ଜିଲ୍ଲା ଭଗାମୁଣ୍ଡା ଗାଁର ନାଁ ଓଡିଶାର ବହୁତ କମ୍‌ ଲୋକ ଜାଣିଥିବେ। ଏଇ ଭଗାମୁଣ୍ଡା ଗାଁଠାରୁ କିଛି ଦୂରରେ, ପକ୍କା ରାସ୍ତାରୁ ଓହ୍ଲାଇ ଅଳ୍ପ ବାଟ ଗଲା ପରେ, କେତୋଟି କୁଡିଆ ଘର ଆଖିରେ ପଡେ। ସେଇଥିରୁ ଗୋଟିଏ ସୁନ୍ଦର ଲିପାପୋଛା ଘରେ ମୋ ପାଇଁ ଅପେକ୍ଷା କରିଥିଲେ ପ୍ରଗତିଶୀଳ ଛୋଟ ଚା‌ଷୀ ଦିବାକର ମାହାନ୍ତ ଆଉ ତାଙ୍କର ସହଯୋଗୀ, ଗୋଟିଏ ସ୍ବୟଂଚାଳିତ ଗୋଷ୍ଠୀର ସଦସ୍ୟାମାନେ। ଦିବାକର ମାହାନ୍ତ ଏହି ଗୋଷ୍ଠୀର ସହାୟତାରେ ଅଳ୍ପ ଜମିରେ, ପଲି ହାଉସ୍‌ଟିଏ ତିଆରି କରିଛନ୍ତି ଏବଂ ଆଧୁନିକ ପଦ୍ଧତିରେ ବିଭିନ୍ନ ରକମର ପନିପରିବାର ଚାରା ତିଆରି କରି ଆଖପାଖ ଅଞ୍ଚଳର ଚାଷୀମାନଙ୍କୁ ଯୋଗାଇଥାଆନ୍ତି। ସେମାନେ ଏ ଯାବତ୍‌ ତିନି ଲକ୍ଷରୁ ଅଧିକ ଚାରା ଦେଇସାରିଲେଣି। ବିହନରୁ ଚାରା ତିଆରି କରିବା ସବୁ ଚାଷୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ; ପୁଣି ସେଥିରୁ ଅନେକ ନଷ୍ଟ ହୋଇଯିବାର ବା ଅଳ୍ପ ପରିମାଣରେ ଅଙ୍କୁରିତ ହେବାର ଭୟ ମଧ୍ୟ ଥାଏ। ଏଥିପାଇଁ ଗୋଟିଏ ଜାଗାରେ ବହୁ ପରିମାଣରେ ଚାରା ତିଆରି କରି, ସେସବୁକୁ ଟିକିଏ ବଡ କରାଇ ପନିପରିବା ଚାଷ କଲେ ସମସ୍ତଙ୍କର ଲାଭ। ଦିବାକର ମାହାନ୍ତ ଚାଳିଶ ଡେସିମଲ୍‌ରୁ ବି କମ୍‌ ଜମିରେ ବିହନରୁ ତଳି କରି ଯୋଗାଇବା ପରେ ଏ ଅଞ୍ଚଳର ବହୁ ଚାଷୀ ଉପକୃତ ହୋଇଛନ୍ତି। ଗାଁର ଏବଂ ଦିବାକରଙ୍କର ଆର୍ଥିକ ପରିସ୍ଥିତିରେ ମଧ୍ୟ ଉନ୍ନତି ହୋଇଛି।

ଭଗାମୁଣ୍ଡା ପରି ଗାଁରେ ଦିବାକରଙ୍କୁ ଆଧୁନିକ ପଦ୍ଧତି ଶିଖାଇଲା କିଏ? ମୋ କୌତୁହଳର ଉତ୍ତର ଦେଲେ ‘ସୃଷ୍ଟି’ ସଂସ୍ଥାର ଜଣେ କର୍ମଚାରୀ ଶିଶିର ଷଡଙ୍ଗୀ, ଯାହାଙ୍କର କାମ ହେଲା ଅନୁନ୍ନତ ଗ୍ରାମ ପଞ୍ଚାୟତମାନଙ୍କୁ ଯାଇ ମହିଳା ଗୋଷ୍ଠୀ ଏବଂ ଛୋଟ ଚାଷୀମାନଙ୍କୁ ଉନ୍ନତ ଧରଣର ଚାଷବାସ ଶିଖାଇବା, ଦୈନନ୍ଦିନ ବ୍ୟବସାୟ, ଲାଭକ୍ଷତି ବିଷୟରେ ଜ୍ଞାନ ଦେବା ଏବଂ ସେମାନଙ୍କ ପାଖପାଖରେ ରହି ସେମାନଙ୍କୁ ସ୍ବାବଲମ୍ବୀ କରାଇବା।

ଶିଶିର ଷଡଙ୍ଗୀ କାମ କରୁଥିବା ସଂସ୍ଥା ‘ସୃଷ୍ଟି’ ଆରମ୍ଭ କରିଥିଲେ ରଞ୍ଜନ ମହାପାତ୍ର ଏବଂ ତାଙ୍କର ଦୁଇ ସାଥୀ ରୋହିଣି ସାହୁ ଓ ଜିତେଶ ପଣ୍ଡା। ରଞ୍ଜନ ମହାପାତ୍ର ଓଡିଶା କୃଷି ବିଶ୍ବ ବିଦ୍ୟାଳୟରୁ କୃଷି ବିଜ୍ଞାନ ପଢିବା ପରେ ‘ଇର୍‌ମା’ରେ ପାଠ ପଢିବାକୁ ଗଲେ। ଇର୍‌ମାରେ ଗ୍ରାମାଞ୍ଚଳର ସାର୍ବଜନିକ ଉନ୍ନତି ପାଇଁ ଅନ୍ୟାନ୍ୟ ଶିକ୍ଷା ସହ ବ୍ୟବସାୟିକ ଜ୍ଞାନ ମଧ୍ୟ ଦିଆହୁଏ। ରଞ୍ଜନ ଇର୍‌ମାରୁ ପଢା ଶେଷ କରି ‘ପ୍ରଦାନ’ ବୋଲି ଗୋଟିଏ ଉନ୍ନୟନ ମୂଳକ ସଂସ୍ଥାରେ ଚାକିରି କଲେ। ଏହି ଚାକିରିରେ ସେ ପଶ୍ଚିମବଙ୍ଗ, ବିହାରର ଚାଷୀମାନଙ୍କ ସାଙ୍ଗରେ ମିଶି କାମ କରି ବହୁ ପ୍ରଶଂସା ମଧ୍ୟ ପାଇଲେ। ତା’ପରେ ମିଳିତ ଜାତିସଂଘ ତରଫରୁ ମାଲେସିଆରେ ବି କିଛିଦିନ କାମ କରିବାର ସୁଯୋଗ ମିଳିଲା। ଏଥର ସ୍ଥିର କଲେ ଓଡିଶାର ଉନ୍ନତି ପାଇଁ କାମ କରିବେ। ସେ ଓଡିଶା ଫେରି ମଧ୍ୟ ଆସିଲେ। କିନ୍ତୁ ଦୁଃଖର ବିଷୟ, ଅଳ୍ପ ଦିନ ପରେ ଏକ ଭୟାନକ ଦୁର୍ଘଟଣାରେ ତାଙ୍କର ସ୍ମରଣ ଶକ୍ତି ଆଘାତ ପାଇଲା ଏବଂ ବହୁତ ଦିନ ଧରି ସେ ଶଯ୍ୟାଶାୟୀ ରହିଲେ। ଯାହେଉ ଦିନେ ନିଜର ମନୋବଳ ଏବଂ ଈଶ୍ବରଙ୍କ ଅସୀମ କୃପା ଦ୍ବାରା ସେ ସୁସ୍ଥ ହେଲେ। କାମ କରିବାର ଅଦମ୍ୟ ଉତ୍ସାହ ନେଇ ପୂର୍ବର ବନ୍ଧୁ ରୋହିଣୀ ଓ ଜିତେଶଙ୍କ ସାଙ୍ଗରେ ମିଶି ‘ସୃଷ୍ଟି’ ସଂସ୍ଥା ଆରମ୍ଭ କଲେ। କାମ ଆରମ୍ଭ ହେଲା କେନ୍ଦୁଝର ଜିଲ୍ଲାର କିଛି ସ୍ବୟଂଚାଳିତ ମହିଳା ଗୋଷ୍ଠୀରୁ। ଏହି ଗୋଷ୍ଠୀମାନଙ୍କୁ ଅଳ୍ପ ଖର୍ଚ୍ଚରେ ଅଧିକ ସକ୍ଷମ କରେଇବାକୁ ‘ସୃଷ୍ଟି’ ଟିସ୍ୟୁ କଲ୍‌ଚର୍‌ରୁ ପଲିହାଉସ୍‌, ପୁଣି ଡ୍ରିପ୍‌ ଇରିଗେସନ୍‌ରୁ ଗ୍ରାଫ୍ଟିଙ୍ଗ୍‌ ଶିଖାଇବା ଆରମ୍ଭ କଲା। କ୍ରମଶଃ କାମ ଅନ୍ୟ ଜିଲ୍ଲାକୁ ବ୍ୟାପିଲା। ଏବେ ‘ସୃଷ୍ଟି’ ଦ୍ବାରା ୩୫୦ରୁ ଉର୍ଦ୍ଧ୍ବ ସ୍ବୟଂଚାଳିତ ସଂସ୍ଥା ଉପକୃତ ହୋଇଛନ୍ତି। ଏହି ସଂସ୍ଥାଗୁଡିକର ୩୬୦୦ ସଦସ୍ୟ କେବଳ ଯେ ସ୍ବାବଲମ୍ବୀ ହୋଇପାରିଛନ୍ତି, ତା’ ନୁହଁ, ସେମାନଙ୍କ ଜୀବନରେ ନୂତନ ଆଶା ଓ ବିଶ୍ବାସ ମଧ୍ୟ ଆସିଛି।

‘ସୃଷ୍ଟି’ ସଂସ୍ଥାରେ ଶିଶିର ଷଡଙ୍ଗୀଙ୍କ ଭଳି ବିଶେଷଜ୍ଞଙ୍କ ସଂଖ୍ୟା ଶହେରୁ ଅଧିକ। ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ - ଏକ ଏକରରୁ କମ୍ ଜମିଥିବା ଚାଷୀମାନଙ୍କୁ ‘ଲକ୍ଷପତି କିସାନ୍‌’ରେ ପରିଣତ କରିବା। ଏହି ଆଭିମୂଖ୍ୟରେ ସଂସ୍ଥାଟି ଉଦ୍‌ଭାବନମୂଳକ ଚିନ୍ତାଧାରା ନେଇ କୃଷିକ୍ଷେତ୍ରରେ ପ୍ରଚଳିତ ଚିରାଚରିତ ଧାରଣାରେ ପରିବର୍ତ୍ତନ ଆଣିଛି। ନଡିଆ ଓ କାଜୁ ଚାଷର ଉଦାହରଣ ନିଆଯାଉ। ଆମର ଧାରଣା ଥିଲା ଯେ ଏଇ ଦୁଇ ରକମର ଗଛ କେବଳ ସମୁଦ୍ରକୂଳିଆ ଅଞ୍ଚଳରେ ଭଲ ହୋଇପାରେ। କିନ୍ତୁ ‘ସୃଷ୍ଟି’ର କର୍ମୀମାନେ ଓଡିଶା କୃଷି ବିଜ୍ଞାନ ମହାବିଦ୍ୟାଳୟ, ନାବାର୍ଡ୍‌, ଇକ୍ରିସାଟ୍‌ ପରି କୃଷିକ୍ଷେତ୍ରରେ ଜଡିତ ସଂସ୍ଥାମାନଙ୍କ ସହିତ ମିଶି ଅନ୍ୟ ଅଞ୍ଚଳରେ ମଧ୍ୟ ନଡିଆ ଓ କାଜୁ ଚାଷ କରି ଛୋଟ ଚାଷୀମାନଙ୍କୁ ସାଫଲ୍ୟ ଆଣି ଦେଇପାରିଛନ୍ତି। ‘ସୃଷ୍ଟି’ର ସହାୟତାରେ ଆଜି ଢେଙ୍କାନାଳ ଜିଲ୍ଲାର ୧୧୦୦ ଏକର ଜମିରେ କାଜୁବାଦାମ ଲାଗିପାରିଛି ଏବଂ ଶତକଡା ପଚାଶ ଭାଗ ଜମିର ମାଲିକ ଆଦିବାସୀ ବର୍ଗର।

ଆଉ ଗୋଟିଏ ଉଦାହରଣ ଦେଉଛି। ସଂସ୍ଥାଟି ଜଙ୍ଗଲି ଗଛର ଗୁଣ ଦ୍ବାରା ପନିପରିବାର ପୋକ, ରୋଗ ଦମନ କରିବାର ଏକ ପନ୍ଥା ଉଦ୍‌ଭାବନ କରିଛି। ଛୋଟ ଚାଷୀଙ୍କର ବିଲାତି ବାଇଗଣ ଗଛରେ ପ୍ରାୟ ପୋକ ଲାଗି କ୍ଷତି ହେଉଥିଲା। ଏବେ ‘ସୃଷ୍ଟି’ ଠାରୁ ଶିଖି ଦିବାକରଙ୍କ ଭଳି ଚାଷୀମାନେ ଭେଜି ବାଇଗଣର ବୃନ୍ତ ବିଲାତି ବାଇଗଣର ବୃନ୍ତ ସହ କଲମି କରି ରୋଗ,ପୋକର ପ୍ରାୟ ମୂଳୋତ୍ପାଟନ କରିପାରିଛନ୍ତି।

ଶିଶିର ଷଡଙ୍ଗୀଙ୍କ ସହିତ କଥାବାର୍ତ୍ତା କରିବା ପରେ ମୁଁ ଯେତେବେଳେ ‘ସୃଷ୍ଟି’ ସାଙ୍ଗରେ ଯୋଗାଯୋଗ କରିବାକୁ ଚେଷ୍ଟା କଲି, ସେତେବେଳେ ଜାଣି ଆଶ୍ଚର୍ଯ୍ୟ ହେଲି ଯେ ଭୁବନେଶ୍ବର ଖଣ୍ଡଗିରି ପାଖରେ ଥିବା ସେମାନଙ୍କର ମୂଖ୍ୟ କାର୍ଯ୍ୟାଳୟରେ ଦୁଇ ତିନି ଜଣଙ୍କ ବ୍ୟତୀତ କେହି ରହନ୍ତି ନାହିଁ। ଏହାର କିଛି ଦିନ ପରେ ମୋର ଯେତେବେଳେ ରଞ୍ଜନ ମହାପାତ୍ରଙ୍କ ସହିତ ଦେଖାହେଲା, ସେତେବେଳେ ସେ କହିଲେ ଯେ ସେମାନେ ଭୁବନେଶ୍ବରରେ ରହନ୍ତି କମ୍‌, ବେଶୀ ଭାଗ ସମୟ ଗାଁ ଗହଳରେ କଟେ। ଭୁବନେଶ୍ବରର ମୂଖ୍ୟ କାର୍ଯ୍ୟାଳୟଟି ଡାକଘରଟିଏ ମାତ୍ର।

ଶିକ୍ଷା, କୌଶଳ ଏବଂ ଦକ୍ଷତା ହାସଲ କରି କେବଳ ନିଜ ଉନ୍ନତିରେ ସୀମିତ ରହିଲେ ଯଥେଷ୍ଟ ନୁହଁ; ପ୍ରକୃତ ବିଶ୍ବବିଜୟୀ ନିଜର ଶିକ୍ଷା ଓ ଅନୁଭୂତି ଦ୍ବାରା ଅନ୍ୟର ଉନ୍ନତି କରିଥାଏ। 

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।