ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ଜଣା, ଅଜଣା

17 ଜୁଲାଇ 2017
ଶେୟାର କରନ୍ତୁ :

ପୃଥିବୀର ବିଭିନ୍ନ ସଂସ୍କୃତିରେ ପ୍ରାୟ ଏକାରକମର ପ୍ରବାଦଟିଏ ରହିଛି । ‘ଯିଏ ଜାଣେ ନାହିଁ ଏବଂ ଜାଣେ ନାହିଁ ଯେ ସେ ଜାଣେ ନାହିଁ - ସେ ହେଉଛି ବୋକା। ତାକୁ ପରିହାର କର। ଯିଏ ଜାଣେ ନାହିଁ ଏବଂ ଜାଣେ ଯେ ଜାଣେ ନାହିଁ - ସେ ଛାତ୍ର। ତାକୁ ଶିକ୍ଷା ଦିଅ। ଯିଏ ଜାଣେ ଏବଂ ଜାଣେ ନାହିଁ ଯେ ସେ ଜାଣେ - ସେ ଶୋଇଛି । ତାକୁ ସଚେତନ କରାଇ ଦିଅ। ଯିଏ ଜାଣେ ଏବଂ ଜାଣେ ଯେ ସେ ଜାଣେ - ସେ ବିଜ୍ଞ। ତାକୁ ଅନୁସରଣ କର।’

ଏହି ଚାରିରକମର ମଣିଷଙ୍କୁ ବୁଝିବା ପାଇଁ ଉଦାହରଣ ଦେବାର ଆବଶ୍ୟକତା ନାହିଁ। ଆମେ ଆମ ଚାରିପଟେ ଏଭଳି ବହୁ ଲୋକଙ୍କୁ ଦେଖିଥାଉ । କିନ୍ତୁ ଚାରିରକମ ମଣିଷଙ୍କ ମଧ୍ୟରୁ ଆଜି ଆମର ଆଲୋଚନା କେବଳ ଦ୍ବିତୀୟ ପର୍ଯ୍ୟାୟର ମଣିଷଙ୍କୁ ନେଇ। ଅର୍ଥାତ୍‌, ‘ଯିଏ ଜାଣେ ନାହିଁ ଏବଂ ଜାଣେ ଯେ ସେ ଜାଣେନାହିଁ।’ ଅର୍ଥାତ୍‌, ଆତ୍ମସଚେତନ ମଣିଷ।

ସମସ୍ତଙ୍କର ଯେ ସବୁ ବିଷୟରେ ଅଗାଧ ଜ୍ଞାନ ରହିବ, ତାହା ସମ୍ଭବ ନୁହଁ। କିନ୍ତୁ ଆତ୍ମସଚେତନତା ଆମକୁ ମୂଢତାରୁ ଏବଂ ବିପଦଜନକ କାର୍ଯ୍ୟ କରିବାରୁ ରକ୍ଷା କରିବ। ଉପରନ୍ତୁ, ଆମେ ଯଦି ଜାଣିବା ଯେ କୌଣସି ଏକ ବିଷୟରେ ଆମର ଜ୍ଞାନ ନାହିଁ ଏବଂ ସେଇ ବିଷୟରେ ଜ୍ଞାନ ବୃଦ୍ଧି ହେଲେ ଆମର ଦକ୍ଷତା ବୃଦ୍ଧି ପାଇବ, ତାହେଲେ ଆମେ ମନୋନିବେଶ କରି ସେଇ ଦିଗରେ ଆଗେଇ ଯାଇ ପାରିବା। କିଭଳି ଅଧିକ ତାଲିମ ହୋଇପାରିବ, ତା’ର ପଥ ଖୋଜିପାରିବା।

କେବଳ ଆତ୍ମସଚେତନତା ଯଥେଷ୍ଟ ନୁହଁ, ଆବଶ୍ୟକ କ୍ଷେତ୍ରରେ ନିଜର ଅକ୍ଷମତା ପ୍ରକାଶ କରିବା ଗୋଟିଏ ବଡ ଗୁଣ। ଆମେ ଯଦି ଜାଣିଛୁ ଯେ ଗୋଟିଏ ବିଷୟରେ ଆମର ଜ୍ଞାନ କମ୍ ଏବଂ ସେତିକିବେଳେ ଜଣେ ଯଦି ଭରସା କରି ଆମକୁ ସେଇଭଳି କାମଟିଏ ଦେବାକୁ ଇଚ୍ଛା କରନ୍ତି, ତା’ହେଲେ ଆମର ଉଚିତ ନିଃସଙ୍କୋଚରେ ତାଙ୍କୁ ମନା କରିଦେବା। ମନା ନ କରି କାମଟି ହାତକୁ ନେଇଗଲେ, ଆମେ ସୁଚାରୂ ରୂପେ କାମଟି କରିପାରିବା ନାହିଁ। ଫଳରେ କାମ ଦେଇଥିବା ମଣିଷଟି ତ ଅସୁବିଧାରେ ପଡିଯିବେ, ତା’ ସାଙ୍ଗରେ ଆମର ପେସାଗତ ସମ୍ମାନ ଓ ସୁନାମରେ ମଧ୍ୟ ଆଞ୍ଚ ଆସିବ।

ଅନେକ ମନେ କରନ୍ତି ଯେ ନିଜର ଅଜ୍ଞତା ଦେଖାଇବା ଏକ ଦୁର୍ବଳତା। ଏଥିପାଇଁ ଅନେକଟା ଦାୟୀ ଆମର ସାମାଜିକ ଓ ଶିକ୍ଷାଗତ ପରମ୍ପରା। ଧରନ୍ତୁ, ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ର ଶିକ୍ଷକ ପଢାଉଥିବା ବିଷୟଟି ବୁଝିପାରିଲେ ନାହିଁ। ଅଧିକାଂଶ କ୍ଷେତ୍ରରେ ସେ ଚୁପ୍‌ ରହିଯାଆନ୍ତି। ‘ମୁଁ ବୁଝିପାରିଲି ନାହିଁ’ ବୋଲି କହିବାକୁ ସଙ୍କୋଚ ହୁଏ। କିନ୍ତୁ ଦମ୍ଭର ସହିତ ଯଦି ସେଇ ଦୁଇଟି ଶବ୍ଦ ସେ କହିଦେବେ, ତାହେଲେ ଅବୁଝା ପାଠ ବୁଝିହେଇଯିବ।

ଠିକ୍‌ ସେଇଭଳି ଅବସ୍ଥା ଆମ କର୍ମକ୍ଷେତ୍ରରେ। ହୁଏତ ଜଣେ ଦର୍ଜୀ କେବଳ ପୁରୁଷଙ୍କର ପୋଷାକ ତିଆରି କରିବାରେ ପାରଦର୍ଶୀ। ତାଙ୍କୁ ଯଦି ଜଣେ ଗୋଟିଏ ମହିଳାଙ୍କର ପୋଷାକ କରିଦେବାକୁ ଅନୁରୋଧ କରିବେ, ତେବେ ତାଙ୍କର ଉଚିତ ଗ୍ରାହକଙ୍କୁ ନିଜର ସୀମିତ ଜ୍ଞାନ ସମ୍ପର୍କରେ ଜଣେଇ ଦେବା। ତା’ ନ କରି ଯଦି ସେ କାର୍ଯ୍ୟଟି ହାତକୁ ନେଇଯିବେ ଏବଂ ପରେ ଠିକ୍‌ ଭାବରେ ସେଇଟା ସିଲେଇ କରିପାରିବେ ନାହିଁ, ତା’ହେଲେ ଗ୍ରାହକ ଅସନ୍ତୁଷ୍ଟ ହେବେ। 

ପ୍ରଗତିଶୀଳ ଦେଶରେ ଜଣେ ଦକ୍ଷ ପାଣିମିସ୍ତ୍ରି, ଇଲେକ୍‌ଟ୍ରିସିଆନ୍‌, ଦର୍ଜୀ ଓ ଦୋକାନଦାର କାମ ହରେଇବାର ଭୟକୁ ଖାତିର ନ କରି ସାହସର ସହିତ କହନ୍ତି - ‘ମୁଁ ଏ ବିଷୟରେ ଜାଣିନାହିଁ’, କିମ୍ବା, ‘ମୋର ଏ କାମ କରିବାର ପୂର୍ବ ଅଭିଜ୍ଞତା ନାହିଁ’, କିମ୍ବା ‘ଏତିକି ସମୟ ଭିତରେ ଏ କାମଟି କରିବା ସମ୍ଭବପର ହେବନାହିଁ’। ଏହାହେଉଛି ସେମାନଙ୍କର ଦକ୍ଷତାର ନିଦର୍ଶନ। ସେମାନଙ୍କୁ ବର୍ତ୍ତମାନର କାମ ନ ମିଳିପାରେ, କିନ୍ତୁ ସେମାନଙ୍କର ଅକପଟ କଥା ଶୁଣି ଅନ୍ୟଲୋକଙ୍କର ସେମାନଙ୍କ ପ୍ରତି ସମ୍ମାନ ବଢେ ଏବଂ ସେମାନେ ପରବର୍ତ୍ତୀ ସମୟରେ ଭରସାର ସହିତ ଉପଯୁକ୍ତ କାମ ଦିଅନ୍ତି। "

ନିଜର ଅଜ୍ଞତା ନ ଲୁଚେଇବା ଯେଭଳି ଗୋଟିଏ ବଡ ଗୁଣ, ସେଇଭଳି ଆଉ ଗୋଟିଏ ବହୁତ ଭଲ ଗୁଣ ହେଲା ଆବଶ୍ୟକ କ୍ଷେତ୍ରରେ ଅନ୍ୟଠୁଁ ସାହାଯ୍ୟ ମାଗିବା । ଅନେକ ମନେ କରନ୍ତି, ସାହାଯ୍ୟ ମାଗିବାଟା ଏକରକମ ଦୁର୍ବଳତାର ଲକ୍ଷଣ। କିନ୍ତୁ ବାସ୍ତବରେ ତା’ ନୁହଁ। ଏହା ଏକରକମର ଆବଶ୍ୟକତା। ଆଜିର ପୃଥିବୀ ଏକ ଭିନ୍ନ ପୃଥିବୀ। ଏ ପୃଥିବୀର ସମସ୍ୟା ମଧ୍ୟ ଜଟିଳ। ଏଠି ଦକ୍ଷତାର ସହିତ କୌଣସି କାମ କରିବାକୁ ହେଲେ କେବଳ ଗୋଟିଏ ବିଷୟରେ ପାରଦର୍ଶିତା ରହିଲେ ଚଳିବ ନାହିଁ। ବହୁ କ୍ଷେତ୍ରରେ ପାରଦର୍ଶୀ ହେବା ମହାମାନବ ବ୍ୟତୀତ ଅନ୍ୟ କାହା ପକ୍ଷରେ ସମ୍ଭବ ନୁହଁ। ସେଥିପାଇଁ କୌଣସି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ଜଣେ ଦକ୍ଷ ମଣିଷଙ୍କୁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ହେବ।

ଉଦାହରଣଟିଏ ଦେଉଛି। ଶଲ୍ୟ ବିଶେଷଜ୍ଞ ରୋଗୀର ଅସ୍ତ୍ରୋପଚାର ଶେଷ କରି ଚାଲିଯିବା ପରେ ରୋଗୀର ଦାୟିତ୍ବ ଆସି ପଡେ ଉପଯୁକ୍ତ ତାଲିମପ୍ରାପ୍ତ ନର୍ସ୍‌ଙ୍କ ଉପରେ। କିନ୍ତୁ ସେ ଯଦି ଦେଖିବେ ଯେ ରୋଗୀର ଅବସ୍ଥା ସମ୍ଭବତଃ ସଙ୍କଟଜନକ ହେଉଛି, ତେବେ ତାଙ୍କର ଉଚିତ ଡାକ୍ତରଙ୍କୁ ଖବର ଦେବା ଏବଂ କ୍ରିଟିକାଲ୍‌ କେଆର୍‌ ନର୍ସ୍‌ଙ୍କର ସାହାଯ୍ୟ ମାଗିବା। ତା’ ନ କଲେ ଫଳାଫଳ ଭୟଙ୍କର ହୋଇଯାଇପାରେ।

ଦ୍ବିଧାହୀନ ଭାବରେ ସାହାଯ୍ୟ ମାଗିବା ଏକ ବଡ ଯୋଗ୍ୟତା। ବିଶ୍ବସ୍ତରର ବଡ ବଡ ସଂସ୍ଥା - ଉଭୟ ସରକାରୀ ଓ ବେସରକାରୀ - ଉଚ୍ଚ ପଦବୀର ଅଧିକାରୀ ଖୋଜିବା ବେଳେ ଅନ୍ୟାନ୍ୟ ଗୁଣମାନଙ୍କ ସହିତ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କର ସାହାଯ୍ୟ ମାଗିବାର କ୍ଷମତା ଅଛି କି ନାହିଁ, ତାହା ମଧ୍ୟ ଦେଖିଥାଆନ୍ତି। ଯାହାକୁ କହନ୍ତି - ‘Ability to seek help’। ତେଣୁ ଜଣେ ଦକ୍ଷ ମଣିଷ ଆବଶ୍ୟକ ପଡିଲେ ନିଜର ଅଜ୍ଞତା ସ୍ବୀକାର କରି ଅନ୍ୟମାନଙ୍କଠାରୁ ସାହାଯ୍ୟ ମାଗିବା ଉଚିତ। ଏହାଦ୍ବାରା ସାହାଯ୍ୟ ମାଗିବା ମଣିଷଟି ଛୋଟ ହୋଇଯାଆନ୍ତି ନାହିଁ, ବରଂ ତାଙ୍କର ସମ୍ମାନ ବଢେ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।