ଖୋଜୁଥିଲି ଭାରତ, ପାଇଲି ଆମେରିକା
17 ଜୁଲାଇ 2017
ଶେୟାର କରନ୍ତୁ :
ଗତ ଥର ‘କାଫେ କଫି ଡେ’ର ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ କଥା ଲେଖିଥିଲି। ଲେଖିଥିଲି କେମିତି ସିଙ୍ଗାପୁରରୁ ଦେଖି ଆସି ସେ ଭାରତରେ କ୍ୟାଫେ ଆରମ୍ଭ କଲେ ଏବଂ ପରବର୍ତ୍ତୀ କାଳରେ ବ୍ୟବସାୟରେ ସଫଳ ହେଲେ। ଏ ସଫଳତା କିନ୍ତୁ ଏମିତି ସହଜରେ ତାଙ୍କ ହାତକୁ ଆସି ନ ଥିଲା। ପ୍ରଥମ ‘କାଫେ କଫି ଡେ’ରେ ଦେଖାଗଲା ଯେ ଇଣ୍ଟର୍ନେଟ୍ ପାଇଁ ବହୁତ ପିଲା ଆସୁଛନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି, କିନ୍ତୁ କଫି କେହି କିଣୁନାହାନ୍ତି। ଏମିତିରେ ବ୍ୟବସାୟ ଚାଲିବ କେମିତି? ସିଦ୍ଧାର୍ଥ ଯେମିତି ଚିନ୍ତା କରିଥିଲେ, ଦେଖାଗଲା ଯେ ସେମିତି ହେଉନାହିଁ। କଫି ବିକ୍ରିର ବ୍ୟବସାୟ ନିହାତି ମାନ୍ଦା। କେବଳ ସେତିକି ନୁହଁ, ତାଙ୍କ ଦେଖାଦେଖି ବାଙ୍ଗାଲୋରର ଅନ୍ୟାନ୍ୟ ଗଳିକନ୍ଦିରେ ବି ଛୋଟ ଛୋଟ ଇଣ୍ଟର୍ନେଟ୍ କିଓସ୍କ ଖୋଲିଗଲା। ବର୍ତ୍ତମାନ ସିଦ୍ଧାର୍ଥ କରିବେ କ’ଣ?
ବହୁ ବର୍ଷ ତଳେ ପାଶ୍ଚାତ୍ୟ ଲେଖକ ଜେ ଡି ବର୍ନାଲ୍ କହିଥିଲେ ମଣିଷର ଦୁଇଟି ଭବିଷ୍ୟତ। ଗୋଟିଏ ହେଲା ଚାହିଁଥିବା ଭବିଷ୍ୟତ ଏବଂ ଅନ୍ୟଟି ହେଲା ପାଇବାର ଭବିଷ୍ୟତ। ଜଣେ ଚାହିଁଥିବ ଗୋଟିଏ ଜିନିଷ, ହେଲେ ମିଳିବ ଅନ୍ୟ କିଛି। ଅଧିକାଂଶ ଲୋକ ଚାହିଁଥିବା ଜିନିଷ ନ ପାଇଲେ ବିବ୍ରତ ହୋଇଯାଆନ୍ତି। ଏହାକୁ ଭାଗ୍ୟର ବିଡମ୍ବନା କହନ୍ତି; ସେମାନଙ୍କର ମନ ଛାଡିଯାଏ। କିନ୍ତୁ ସଫଳ ବ୍ୟବସାୟୀ ଏହାକୁ କହେ ଭାଗ୍ୟ ପରୀକ୍ଷା। ସିଦ୍ଧାର୍ଥ ଥିଲେ ଏହି ଦଳରେ। ସେ ପ୍ରଥମେ କ୍ୟାଫେରୁ ସବୁ କମ୍ପ୍ୟୁଟର୍ ଉଠାଇ ସେଠି ଟେବୁଲ ଚୌକି ପକେଇଦେଲେ। କାଫେଟି ବଡ ହୋଇଗଲା ଏବଂ ସୁନ୍ଦର ବି ହୋଇଗଲା। ଏଥର ଅନେକ ପୁଅ ଝିଅ ଆସିଲେ। ସହରରେ ବସିବା ପାଇଁ, ଗପସପ କରିବା ପାଇଁ ସୁନ୍ଦର ଏବଂ ନିରାପଦ ସ୍ଥାନର ଅଭାବ।
ସେମାନଙ୍କୁ ଦେଖି ସିଦ୍ଧାର୍ଥଙ୍କ ମନକୁ ନୂଆ କଥାଟିଏ ଆସିଲା। ଯେଉଁ ପୁଅଟି ଝିଅକୁ କଫି ପିଆଇବା ପାଇଁ ନେଇ ଆସୁଛି, ସୁବିଧା ପାଇଲେ ସେ ନିଶ୍ଚୟ ତାକୁ କେକ୍, ପେଷ୍ଟ୍ରି, ସିଙ୍ଗଡା, ସାଣ୍ଡ୍ଉଇଚ୍ ଯାଚିବ। ଖାଇ ସାରିବା ପରେ ପାଣି ବୋତଲ ବି ଦରକାର। ଏଥର ‘କ୍ୟାଫେ କଫି ଡେ’ରେ କଫି ସାଙ୍ଗରେ ଜଳଖିଆ, ପାଣି ବିକ୍ରି ହେବା ଆରମ୍ଭ ହେଲା। ଦେଖାଗଲା ଯେ କଫି ବିକ୍ରିରେ ଯାହା ଲାଭ ହେଉଥିଲା, କେବଳ ପାଣି ବୋତଲ ବିକ୍ରିରେ ତା’ର ଚାରି ଗୁଣ ଲାଭ ହେଲା। ସିଦ୍ଧାର୍ଥ ପ୍ରତିକୂଳ ଭାଗ୍ୟକୁ ନିଜ ଚେଷ୍ଟାରେ ବଦଳେଇ ଦେଇ ପାରିଥିଲେ।
ଏଥର ଲେଖୁଛି ଭାରତର ଶ୍ରେଷ୍ଠ ନାରୀ ଶିଳ୍ପପତିମାନଙ୍କ ମଧ୍ୟରେ ଅନନ୍ୟା ଶ୍ରୀମତୀ କିରନ୍ ମଜୁମଦାର ଶ’ଙ୍କ ବିଷୟରେ। ମଧ୍ୟବିତ୍ତ ପରିବାରର ଝିଅ କିରନ୍ ବ୍ୟବସାୟୀ ପରିବାରର ନୁହନ୍ତି କିମ୍ବା ବ୍ୟବସାୟ କରିବା କଥା ପ୍ରଥମେ ତାଙ୍କ ମନକୁ ମଧ୍ୟ ଆସି ନ ଥିଲା। ସେ ଡାକ୍ତର ହେବା ପାଇଁ ଚାହିଁଥିଲେ, ହେଲେ ଅଳ୍ପ କେତୋଟି ନମ୍ବର ପାଇଁ ମେରିଟ୍ ଲିଷ୍ଟ୍ରେ ନାଁ ରହିଲା ନାହିଁ। ଅଳ୍ପ କ୍ୟାପିଟେସନ୍ ଫି ଦେଇଥିଲେ ବେସରକାରୀ କଲେଜରେ ସିଟ୍ ମିଳିଯାଇଥାଆନ୍ତା। ହେଲେ ବାପା ମନା କରି ଦେଇ କହିଲେ ଯେ ଏଭଳି ଟଙ୍କା ଦେବାଟା ତାଙ୍କର ବ୍ୟକ୍ତିଗତ ନୀତିବିରୁଦ୍ଧ କଥା। ଅନ୍ୟନ୍ୟୋପାୟ ହୋଇ କିରନ୍ ଏଥର ଚିନ୍ତା କଲେ ଯେ ବିଜ୍ଞାନ ପଢିବେ ଏବଂ ବାପାଙ୍କ ଭଳି ‘ମାଷ୍ଟର୍ ବ୍ରିଉୟର’ ହେବେ। ‘ମାଷ୍ଟର୍ ବ୍ରିଉୟର’ମାନେ ୟିଷ୍ଟ୍ (yeast) ନେଇ କାମ କରନ୍ତି। ୟିଷ୍ଟ୍ରୁ ଔଷଧଠାରୁ ଆରମ୍ଭ କରି ବିୟର୍ ପର୍ଯ୍ୟନ୍ତ ବହୁ ଜିନିଷ ତିଆରି ହୁଏ। ଏ ପାଠ ପଢିବାର ସୁଯୋଗ ଭାରତରେ ନ ଥିଲା। କିରନ୍ ପଢିବା ପାଇଁ ଅଷ୍ଟ୍ରେଲିଆ ଚାଲିଗଲେ। କିନ୍ତୁ ଡିଗ୍ରୀ ଧରି ଭାରତ ଫେରିବା ପରେ ଚାକିରି ମିଳିଲା ନାହିଁ। କାରଣ ସେତେବେଳେ ‘ମାଷ୍ଟର୍ ବ୍ରିଉୟର’ମାନଙ୍କୁ କେବଳ ବିୟର୍ କରିବା ପାଇଁ ୟୁବି, ମୋହନ ମେକିନ୍ ଭଳି ହାତଗଣନ୍ତା କେତୋଟି ସଂସ୍ଥା ଚାକିରି ଦେଉଥିଲେ। ସେମାନେ ଗୋଟିଏ ଝିଅ ପିଲାକୁ ଏଭଳି ଲାଇନ୍ରେ ଚାକିରି ଦେବା ପାଇଁ ଚାହିଁଲେ ନାହିଁ। କିରନ୍ଙ୍କ ପାଇଁ ସବୁ ରାସ୍ତା ବନ୍ଦ।
ଏଭଳି ସମୟରେ ତାଙ୍କର ହଠାତ୍ ଦିନେ ଜଣେ ଆୟାର୍ଲ୍ୟାଣ୍ଡ୍ର ଭଦ୍ରଲୋକଙ୍କ ସହିତ ଦେଖା ହୋଇଗଲା। ସେ ଅମୃତଭଣ୍ଡାରୁ ‘ପାପିନ୍ ଏନ୍ଜାଇମ୍’ କାଢି ଆୟାର୍ଲ୍ୟାଣ୍ଡ ନେବାକୁ ଚାହୁଁଥିଲେ। କାରଣ ବହୁ ଔଷଧ ତିଆରି ପାଇଁ ପାପିନ୍ର ଚାହିଦା ରହିଥିଲା। ଆଉ ଥଣ୍ଡା ଦେଶ ଆୟାର୍ଲ୍ୟାଣ୍ଡ୍ରେ ଅମୃତଭଣ୍ଡା ଫଳେ ନାହିଁ। କିରନ୍ ଏଥର ଗୋଟିଏ ଗ୍ୟାରେଜ୍ରେ ଜାଗା ତିଆରି କରି, ବ୍ୟାଙ୍କରୁ ଦଶ ହଜାର ଟଙ୍କାର ଋଣ ନେଇ ପାପିନ୍ କାଢିବା କାମ ଆରମ୍ଭ କଲେ। ଅମୃତଭଣ୍ଡାରୁ ଏନ୍ଜାଇମ୍ କାଢିବା ସହିତ, ଚାଉଳ ଭଳି ଆଉ ବହୁ ପଦାର୍ଥରୁ ଏନ୍ଜାଇମ୍ କାଢିବା ସେ ଆରମ୍ଭ କରିଲେ। କିଛି ବର୍ଷ ପରେ ଏ ବ୍ୟବସାୟ ବିକ୍ରି କରି ସେ ଔଷଧ ଉଦ୍ଭାବନ କରିବା ବ୍ୟବସାୟ ଆରମ୍ଭ କଲେ। ଏପରି ବ୍ୟବସାୟ ସହଜ ନୁହଁ। ଏହା ବ୍ୟୟସାପେକ୍ଷ, କଷ୍ଟବହୁଳ। ଥରେ ସଫଳ ହେବା ପାଇଁ ଦଶ ଥର ବିଫଳ ହେବାର ମାନସିକ ପ୍ରସ୍ତୁତି ରହିବା ଦରକାର। ଏଭଳି ବ୍ୟବସାୟରେ ପାଦ ଦେଇ ବର୍ତ୍ତମାନ ୩୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବାୟୋକନ୍ ଭାରତର ସବୁ ବାୟୋଟେକ୍ନୋଲୋଜି ସଂସ୍ଥାର ଶୀର୍ଷରେ।
ବ୍ୟବସାୟ ଛୋଟ ହେଉ ବା ବଡ, ପ୍ରଥମରୁ ଆମେ ଚିନ୍ତା କରିଥିବା ଅନୁସାରେ ଯେ ସବୁକିଛି ସେଇଭଳି ହେବ, ତା’ର କୌଣସି ଭରସା ନାହିଁ। ଏଥିରେ ଭାଙ୍ଗି ନ ପଡି ବିଫଳତାର ପର୍ଦ୍ଦା ପଛରେ ଲୁଚିରହିଥିବା ସଫଳତାକୁ ଖୋଜି ନେବାକୁ ହେବ।
କ୍ରିଷ୍ଟୋଫୋର୍ କଲମ୍ବସ୍ଙ୍କ କଥା ଉଣା ଅଧିକେ ସମସ୍ତେ ଜାଣନ୍ତି। ଇତିହାସର ଶ୍ରେଷ୍ଠ ନାବିକମାନଙ୍କ ମଧ୍ୟରୁ ସେ ଜଣେ। କ୍ରିଷ୍ଟୋଫୋର୍ କଲମ୍ବସ୍ ସ୍ପେନ୍ ରାଜାଙ୍କ ସାହାଯ୍ୟ ଓ ଅନୁମତି ନେଇ ସମୁଦ୍ରପଥରେ ଭାରତ ଆବିଷ୍କାର କରିବା ପାଇଁ ବାହାରି ପଡିଥିଲେ। କିନ୍ତୁ ତାଙ୍କ ଗଣନାରେ ଭୁଲ ହୋଇଗଲା। ସେ ବିପରୀତ ଦିଗରେ ଯାତ୍ରା କରି ଆମେରିକା ମହାଦେଶରେ ପହଞ୍ଚିଗଲେ। ତାଙ୍କ ପୂର୍ବରୁ ଅନ୍ୟ କୌଣସି ନାବିକ କିମ୍ବା ପରିବ୍ରାଜକ ସେଠାରେ ପହଞ୍ଚି ପାରି ନ ଥିଲେ। ବ୍ୟବସାୟର ବିଚିତ୍ର ଦୁନିଆ ଅନେକଟା ଏଇଭଳି। କିନ୍ତୁ ଭାବି ଦେଖିଲେ, ଭାରତ ଖୋଜରେ ବାହାରି ଆମେରିକା ପାଇଯିବା କ’ଣ କମ୍ ଗୌରବର କଥା?