ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ବୁଦ୍ଧିରେ ହିଁ ବଳ(୨)

17 ଜୁଲାଇ 2017
ଶେୟାର କରନ୍ତୁ :

ଗତଥର ବିଶ୍ବବିଖ୍ୟାତ ମନସ୍ତତ୍ତ୍ବବିତ୍‌ ହାୱାର୍ଡ୍‌ ଗାର୍ଡ୍‌ନର୍‌ଙ୍କ ଗବେଷଣା ବିଷୟରେ ଲେଖିଥିଲି। ଗାର୍ଡ୍‌ନର୍‌ ପ୍ରଥମ ଥର ପାଇଁ ପାଶ୍ଚାତ୍ୟ ପୃଥିବୀରେ ‘ମଲ୍ଟିପ୍ଲ୍‌ ଇଣ୍ଟେଲିଜେନ୍‌ସ’ ବା ବିବିଧ ବୁଦ୍ଧିର ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଗାର୍ଡ୍‌ନର୍‌ଙ୍କ ମତରେ ପ୍ରାୟ ସମସ୍ତଙ୍କ ପାଖରେ ନଅ ରକମର ବିବିଧ ବୁଦ୍ଧିର କ୍ଷମତା ରହିଛି, ଯାହା ବିଷୟରେ ଜାଣିଲେ ଆମେ ଶିକ୍ଷା ଏବଂ ଦକ୍ଷତାକୁ ଆହୁରି ଆଗେଇ ନେଇପାରିବା। ଗତଥର ଏହି ସ୍ତମ୍ଭରେ ମୁଁ ଗାଣିତିକ ଏବଂ ସାହିତ୍ୟିକ ବୁଦ୍ଧିମତ୍ତା ବିଷୟରେ ଆଲୋଚନା କରିଥିଲି। ଆଜିର ଆଲୋଚନାର ଆରମ୍ଭ କରୁଛି ଗାର୍ଡ୍‌ନର୍‌ କହିଥିବା ଆଉ ଗୋଟିଏ ବୁଦ୍ଧି ନେଇ। ଏହା ହେଲା ଶାରୀରିକ ବୁଦ୍ଧି। ଭାରତୀୟ କ୍ରିକେଟର ମହେନ୍ଦ୍ର ଧୋନିଙ୍କ ଉଦାହରଣ ନିଆଯାଉ। ଧୋନି ଯେତେବେଳେ ହାତରେ ବ୍ୟାଟ୍‌ ଧରି ବୋଲର୍‌ର ସାମ୍ନା କରନ୍ତି, ସେତେବେଳେ ସେ କ’ଣ ପରିକଳ୍ପନା କରିପାରନ୍ତି ଯେ ବୋଲର୍‌ଟି କିଭଳି ଭାବରେ ବଲ୍‌ ପକେଇବ? ଜଣେ ଭଲ ଫାଷ୍ଟ୍‌ ବୋଲର୍‌ ଘଣ୍ଟାକୁ ୧୫୦ ବା ୧୬୦ କିଲୋମିଟର୍‌ ଗତିରେ ବଲ୍‌ ନିକ୍ଷେପ କରିପାରେ। ଧୋନିଙ୍କ ଭଳି ବ୍ୟାଟ୍‌ସ୍‌ମ୍ୟାନ୍‌ଙ୍କୁ ଯୁକ୍ତିଯୁକ୍ତ ଭାବରେ ପରିକଳ୍ପନା କରିବାର ସମୟ କାହିଁ? ବେଶୀ ସମୟ ଧରି ଭାବିଲେ ହୁଏତ ଉଇକେଟ୍‌ ପଡିଯିବ କିମ୍ବା ମୁଣ୍ଡରେ, ଦେହରେ ଆଘାତ ଲାଗିବ। ତାହେଲେ ଧୋନିଙ୍କ ଭଳି ଖେଳାଳୀ ମୁହୂର୍ତ୍ତକ ମଧ୍ୟରେ କିପରି ଖେଳିବେ, ସେ ନିଷ୍ପତ୍ତି ନିଅନ୍ତି କେମିତି? ଗାର୍ଡ୍‌ନର୍‌ଙ୍କ ମତରେ ଉନ୍ନତମାନର ଖେଳାଳୀଙ୍କ ବୁଦ୍ଧି କେବଳ ମଗଜରେ ନ ଥାଏ, ସେମାନଙ୍କର ଶରୀରର ଅଙ୍ଗପ୍ରତ୍ୟଙ୍ଗରେ ମଧ୍ୟ ଥାଏ। ଅର୍ଥାତ୍‌, ପୂର୍ବର ଅଭିଜ୍ଞତା, ଅନୁଭୂତି ନିଜ ଦେହ ଭିତରେ ସାଇତି ହୋଇ ରହିଯାଇଥାଏ ଏବଂ ଜଣେ ଖେଳାଳୀକୁ ସେଇ ଗନ୍ତାଘରୁ ଜରୁରୀ ନିଷ୍ପତ୍ତି ନେବା ପାଇଁ ସମୟ ଲାଗେ ନାହିଁ। ଆଖି ପିଛୁଳାକେ ବ୍ୟାଟ୍‌ ବଲ୍‌ ଆଡକୁ ଚାଳିଯାଏ। ଚିନ୍ତା କରିବା ଆଗରୁ ସିଦ୍ଧାନ୍ତଟିଏ ନେଇହୁଏ-ବଲ୍‌କୁ ଛାଡି ଦିଆଯିବ ନା, ହୁକ୍‌ କରାଯିବ। ଆଜିର ପ୍ରତିଯୋଗୀତାମୂଳକ ପୃଥିବୀରେ ଶାରୀରିକ ବୁଦ୍ଧିର ବିକାଶ ଓ ପ୍ରୟୋଗ ଅତ୍ୟନ୍ତ ଜରୁରୀ।

ଗାର୍ଡ୍‌ନର୍‌ଙ୍କ ମତରେ ଆଉ ଗୋଟିଏ ବୁଦ୍ଧି ହେଲା କଳା, ସଙ୍ଗୀତର ବୁଦ୍ଧି। କଳା ବା ସଙ୍ଗୀତ ଯେ ଏକ ବିଶେଷ ରକମର ବୁଦ୍ଧି, ତାହା ଅନେକଙ୍କର ଚିନ୍ତାର ବହିର୍ଭୁତ। ଅନେକ ମନେ କରନ୍ତି ଯେ ଗୀତ ଗାଇପାରିବା କିମ୍ବା ତାବ୍‌ଲା ବଜେଇ ପାରିବା କିମ୍ବା ଆଙ୍କିପାରିବାର କ୍ଷମତା ଗଣିତ, ଭୂଗୋଳ, ବିଜ୍ଞାନ ଅପେକ୍ଷା ନ୍ୟୁନ। ଏଥିପାଇଁ ପ୍ରତିଭାର ଆବଶ୍ୟକତା ହୋଇପାରେ, କିନ୍ତୁ ବୁଦ୍ଧି ନୁହଁ। ହେଲେ ଏଭଳି ଧାରଣା ଭୁଲ୍‌। ବିଶେଷଜ୍ଞମାନେ ଜାଣିପାରିଛନ୍ତି ଯେ ଜୀବନରେ ସଙ୍ଗୀତର ବହୁ ସୁପ୍ରଭାବ ପଡିଥାଏ। ସଙ୍ଗୀତ ଶିକ୍ଷା ଅର୍ଥ ନୁହଁ ଯେ ସମସ୍ତେ ବଡ ସଙ୍ଗୀତ ଶିଳ୍ପୀ ହେବା ଆବଶ୍ୟକ। ଯେଉଁ ପିଲାଟି ଛୋଟବେଳୁ ଗୋଟିଏ ବାଦ୍ୟଯନ୍ତ୍ର ଶିକ୍ଷା କରିଥାଏ, ତାହାର ପରବର୍ତ୍ତୀ ଜୀବନରେ ମାନସିକ ଅବସାଦ ଘଟିବାର ସମ୍ଭାବନା କମ୍‌। ସଙ୍ଗୀତ ମନକୁ ଶାନ୍ତ କରେ, ମନରେ ଆନନ୍ଦ ଭରିଦିଏ। ହୁଏତ ସେଥିପାଇଁ ଅଧିକାଂଶ ଧର୍ମରେ ସଙ୍ଗୀତ ମାଧ୍ୟମରେ ଈଶ୍ବରଙ୍କୁ ପ୍ରାର୍ଥନା କରାଯାଇଥାଏ।

ଗାର୍ଡ୍‌ନର୍‌ ଅନ୍ୟ ଏକ ବୁଦ୍ଧି ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ କୁହାଯାଇପାରିବ ପ୍ରାକୃତିକ ବା ପ୍ରକୃତି ସମ୍ପର୍କିତ ବୁଦ୍ଧି। ବହୁ ପ୍ରାଚୀନ ଯୁଗରେ ଯେତେବେଳେ ମଣିଷମାନେ ଶୀକାର ବା ଫଳମୂଳ ଉପରେ ନିର୍ଭରଶୀଳ ଥିଲେ, ସେତେବେଳେ ସେମାନଙ୍କ ଦଳରେ ସବୁବେଳେ ଏଭଳି ଜଣେ ବ୍ୟକ୍ତି ରହୁଥିଲେ ଯାହାଙ୍କ ପାଖରେ ବହୁତ ପ୍ରାକୃତିକ ବୁଦ୍ଧି ରହୁଥିଲା। ଏଭଳି ବ୍ୟକ୍ତିଜଣକ ପତ୍ରଟିଏ ହାତରେ ଧରିବା ମାତ୍ରକେ ସେଇଟି କେଉଁ ଗଛର, ତାହା କହିପାରୁଥିଲେ। ଛତୁଟିଏ ଖାଦ୍ୟୋପଯୋଗୀ କି ବିଷାକ୍ତ, ତାହା କହିଦେଇପାରୁଥିଲେ। ଜଙ୍ଗଲର ଜୀବଜନ୍ତୁଙ୍କ ଗତିବିଧି ଗଣନା କରିଦେଇପାରୁଥିଲେ। ଏଇଭଳି ଲୋକମାନଙ୍କ ଯୋଗୁଁ ଆମ ପୂର୍ବପୁରୁଷମାନେ ବନ୍ୟଜନ୍ତୁଙ୍କୁ ବଶ କରି ଗୃହପାଳିତ କରିପାରିଥିଲେ। ପ୍ରାକୃତିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ କୃଷି, ପଶୁପାଳନ, ମତ୍ସ୍ୟପାଳନ- ଏଭଳି କ୍ଷେତ୍ରରେ ଅସୀମ ସଫଳତା ପାଇପାରନ୍ତି। ପର୍ଯ୍ୟାବରଣ କ୍ଷେତ୍ରରେ ମଧ୍ୟ ଏହି ବୁଦ୍ଧିର ବିଶେଷ ଆବଶ୍ୟକତା ରହିଛି। ବର୍ତ୍ତମାନର ପୃଥିବୀରେ ନଦୀ, ଜଙ୍ଗଲ ଇତ୍ୟାଦିର ସୁରକ୍ଷା ବହୁତ ଜରୁରୀ। ପର୍ଯ୍ୟାବରଣର ସୁରକ୍ଷା କରିବା ଯେତିକି ଆବଶ୍ୟକ, ପ୍ରଦୂଷଣ ସମସ୍ୟାର ନିରାକରଣ କରିବା ସେତିକି ଜରୁରୀ। ପ୍ରଦୂଷଣ ନିୟନ୍ତ୍ରଣ ଓ ନିରାକରଣ ପାଇଁ କେବଳ କୃଷି, ଭେଷଜ କ୍ଷେତ୍ରରେ ନୁହଁ, ସବୁ କ୍ଷେତ୍ରରେ ପ୍ରାକୃତିକ ବୁଦ୍ଧି ବ୍ୟବହାର କରିବା ଅପରିହାର୍ଯ୍ୟ। ତେବେ ଯାଇ ଜଣେ ସଫଳ ପ୍ରଫେସନାଲ୍‌ ହୋଇପାରିବ। ଜଣେ ୱେଲ୍‌ଡର୍‌, ମେଡିକାଲ୍‌ ଟେକ୍‌ନିସିଆନ୍‌ ବା ଡିଜେଲ୍‌ ମେକାନିକ୍‌ର ଉଦାହରଣ ନିଆଯାଉ। କାମ କରିସାରିବା ପରେ ଝଳେଇ ରଡ, ପରିତ୍ୟକ୍ତ ମେଡିକାଲ୍‌ ସରଞ୍ଜାମ ବା ପୋଡା ମୋବିଲ୍‌ ତେଲ କିଭଳି ଭାବରେ ବର୍ଜନ କରାଯିବ, ସେଥିପାଇଁ ପ୍ରାକୃତିକ ବୁଦ୍ଧି ନିୟୋଜନ କରିବା ଆବଶ୍ୟକ। ଅନ୍ୟ ଯେତେ ବୁଦ୍ଧି ଥିଲେ ମଧ୍ୟ ଯଦି ପ୍ରାକୃତିକ ବୁଦ୍ଧି ନ ଥାଏ, ତେବେ ପର୍ଯ୍ୟାବରଣ ଦୃଷ୍ଟିରୁ ଜୀବନ ପ୍ରତି ଆଞ୍ଚ ଆସିବାର ସମ୍ଭାବନା ଥାଏ।

ପ୍ରାକୃତିକ ବୁଦ୍ଧି ଭଳି ରହିଛି ବହୁ କାଳରୁ ବ୍ୟବହୃତ ହୋଇଆସୁଥିବା ଅନ୍ୟ ଏକ ବିଶେଷ ବୁଦ୍ଧି। ହଜାର ହଜାର ବର୍ଷ ତଳୁ ମଣିଷ ଦରିଆ ପାରିକରିବାର ଦକ୍ଷତା ହାସଲ କରିପାରିଛି। ଓଡିଶାର ବଣିକମାନେ ବ୍ୟବସାୟ କରିବା ପାଇଁ ପାଲଟଣା ବୋଇତ ନେଇ ଜାଭା, ସୁମାତ୍ରା, ସିଂହଳ ଦ୍ବୀପ ଯାଉଥିଲେ। ସେତେବେଳେ ପାଖରେ ନା ଥିଲା କମ୍ପାସ୍‌, ଜିପିଏସ୍‌ ବା ସାଟେଲାଇଟ୍‌। କେମିତି ସେମାନେ ଅନ୍ଧାର ରାତିରେ ସମୁଦ୍ର ଲହଡି ଭାଙ୍ଗି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରୁଥିଲେ। କେମିତି କେବଳ ଗ୍ରହ, ନକ୍ଷତ୍ରମାନଙ୍କର ସ୍ଥିତି ଦେଖି ନିଜର ପଥ ସ୍ଥିର କରିପାରୁଥିଲେ? କେମିତି ଦିଗ ନିର୍ଣ୍ଣୟ କରିପାରୁଥିଲେ ସେମାନେ? ସବୁ ରାତି ତ ସମାନ ନ ଥିଲା। କେତେବେଳେ ହୁଏତ ଆକାଶରେ ମେଘ ରହୁଥିଲା, କେତେବେଳେ ପୁଣି କୃଷ୍ଣପକ୍ଷ ପଡୁଥିଲା। କିନ୍ତୁ ସେମାନେ ଯେ ଦିଗହଜା ହେଉ ନ ଥିଲେ, ସେଥିପାଇଁ କୃତିତ୍ବ ଥିଲା ନାବିକମାନଙ୍କ ଦଳରେ ଥିବା ଏଭଳି ଜଣଙ୍କର ଯିଏ କି ସହଜରେ ପଥ ଗଣନା କରିପାରୁଥିଲେ। ତାଙ୍କ ପାଖରେ ଯେଉଁ ବୁଦ୍ଧି ଥିଲା, ତାହାକୁ ଗାର୍ଡନରଙ୍କ ଭଳି ଆଧୁନିକ ମନସ୍ତତ୍ତ୍ବବିତ୍‌ମାନେ କହନ୍ତି କ୍ଷେତ୍ର ବା ସ୍ଥାନ ସମ୍ପର୍କୀୟ ବୁଦ୍ଧି। ଏ ବିଷୟରେ ସବିସ୍ତାର ଆଲୋଚନା ପରବର୍ତ୍ତୀ ସପ୍ତାହରେ କରିବି।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।